ଆହ୍ୱାନ— ଡ଼. ଅଲେଖ ସଚ୍ଚିଦାନନ୍ଦ ନାୟକ


ଆତ୍ମାର ବୁକୁତଳେ
ପାରୁଛ କି ଶୁଣି?
ତୁମେ—
ରାଶି ରାଶି ଦିଗ୍‌ବିଜୟୀ କ୍ରାନ୍ତିର ଆହ୍ୱାନ।
ଏହି ଆହ୍ୱାନ
ଏକକୋଷୀ ଜୀବର ଦେହେ ଡାକିଥିଲା—
ହେବା ପାଇଁ
ମାନବର ଅମୃତ ସନ୍ତାନ।
କିନ୍ତୁ ସେହି ସନ୍ତାନ
ତମସାର ପଟି ବାନ୍ଧି,
ତାମସିକ ମଦିରା ପିଇ,
ଘୁରିବୁଲେ—
ସତେ ଅବା
ଦିଗହରା କୀଟ ବା ପତଙ୍ଗ!
ଏହି କୀଟର କୋଟିଏ ଭୋକ;
ତାହାକୁ ମେଣ୍ଟାଇବାକୁ
ଉଣା ପଡ଼େ କୋଟି ପୁନର୍ଜନ୍ମ।
ଜନ୍ମ ନିଏ,
ପ୍ରତିଥର ପରି
ଝାଡ଼ିଝୁଡ଼ି ଛିଡ଼ା ହୁଏ।
ଅନ୍ତରର ଅନନ୍ତ ଆହ୍ୱାନ ଶୁଣି
କୁନି ପାଦେ କେଇ ପାଦ ଧାଇଁଯାଏ।
କିନ୍ତୁ ଧାଉଁ ଧାଉଁ
ସମୁଦ୍ରବେଳାର ବାଲିଯାତ୍ରାରେ
ମନ ହଜିଯାଏ।
ବଜାରର ବାସ୍ନାରେ
ଇନ୍ଦ୍ରିୟ ସବୁ ବନ୍ଧା ପଡ଼ିଯାଏ।
ଫିକା ପଡ଼ିଯାଏ
ଦୁଃସାହସିକ, ଦୁର୍ବାର
ସମୁଦ୍ରଯାତ୍ରାର ଯୋଜନା।
ଯାତ୍ରାର କୋଳାହଳ,
ମନର ମାୟାଜାଲ—
ଏହାକୁ ଏଡ଼ିବାକୁ
ବାରମ୍ବାର ଚେଷ୍ଟା କରେ
ରାଶି ରାଶି ଦିଗ୍‌ବିଜୟୀ କ୍ରାନ୍ତିର ଆହ୍ୱାନ।
“ଆତ୍ମାର ବୁକୁତଳେ
ପାରୁଛ କି ଶୁଣି?
ତୁମେ—
ରାଶି ରାଶି ଦିଗ୍‌ବିଜୟୀ କ୍ରାନ୍ତିର ଆହ୍ୱାନ।”
ଏହି ଆହ୍ୱାନ
ଉଙ୍କିଥିଲା ସାବିତ୍ରୀଙ୍କ
ମାନବୀ ହୃଦୟେ—
ଅଟଳ, ନିଶ୍ଚଳ ଯମ ହୃଦୟରେ
ଜୀବନର ସମ୍ଭାର ତୋଳିବାକୁ।
ଏହି ସମ୍ଭାର
ପ୍ରତିଟି ବିଜ୍ଞାନୀ ପ୍ରାଣେ
ଆଣିଥିଲା ଏକ ସ୍ୱପ୍ନ—
ସୁମଧୁର, ସ୍ୱର୍ଗୀୟ ପୃଥିବୀ ଗଢ଼ିବାକୁ।
ପୃଥିବୀ ମଧ୍ୟ
ହୃଦୟର ଡାକ ଶୁଣି,
ନିର୍ଜନ ନିର୍ଜୀବ ଅନ୍ତରୀକ୍ଷରେ,
ମାତୃତ୍ୱର ମନ ନେଇ,
ପ୍ରସବର ପୀଡ଼ା ସହି,
ସାଜି ଅଛି ଜୀବର ଜନନୀ।
ଜନନୀର ଜୀବନ୍ତ ସନ୍ତାନ ତୁମେ।
ଆଜି କାହିଁକି
ନିର୍ଜୀବର ଭାବ ନେଇ
ଶକ୍ତିହୀନ ହେଉଛ?
ମୃତ୍ୟୁର ଭୟ ନେଇ
ଦିନ ଗଣୁଛ—
ସବୁ ଛାଡ଼ି ଯିବା ପାଇଁ?
କେବେ ଯିବ—
ଜାଣ ନାହିଁ।
ତଥାପି ଆଜି
ବଣା ହୋଇ ଚାଲୁଛ—
“ମୋ ମନ, ତୋ ମନ” କହି,
“ମୋ ଦୋଷ, ତୋ ଦୋଷ” ଦେଖି,
ହୃଦୟର ଆହ୍ୱାନକୁ
ଶୁଣିପାରୁ ନାହିଁ।
ଶୁଣିପାରେ ନାହିଁ,
ତଥାପି ଶୁଣାଏ ଅନେକ।
ଦେଖିପାରେ ନାହିଁ,
ତଥାପି ଦେଖାଏ ଅନେକ।
ସାଜେ ବକ୍ତା,
ଧରେ ଧର୍ମର ଧ୍ୱଜା।
ଶୁଖିଲା ପ୍ରଶଂସା ପାଇଁ
ଏ କି ଅନ୍ତହୀନ ବ୍ୟାକୁଳତା!
କିନ୍ତୁ ବ୍ୟାକୁଳତା ନାହିଁ
ହୃଦୟର ଆହ୍ୱାନ ବୁଝିବାକୁ।
ବ୍ୟାକୁଳତା ନାହିଁ
ଜନନୀ ହୃଦୟର
ସରଳ ନିର୍ଦ୍ଦେଶ ବୁଝିବାକୁ।
ବୁଝିବାକୁ ବାକି ଅଛି—
ତର୍କର ଢାଲ ଛାଡ଼ି
ସତ୍ୟରେ ସମର୍ପଣ।
କାରଣ ପରାଜୟରେ ମଧ୍ୟ
ଉଡ଼ିପାରେ ବିଜୟ କେତନ।
କିନ୍ତୁ ବିଜୟ କେତନ ପାଇଁ,
ଶୁଖିଲା ଗର୍ବର ଅର୍ଘ୍ୟ ପାଇଁ,
ଗଡ଼େ ମୁଣ୍ଡ,
ଖଟେ ମୁଣ୍ଡ—
ଶେଷରେ ମିଳେ
ଖାଲି ଶ୍ମଶାନର ସମ୍ମାନ।
ତେଣୁ ଶୁଣ—
ଆତ୍ମାର ବୁକୁତଳେ
ଯେଉଁ ଡାକ ଗୁଞ୍ଜୁଛି,
ସେ ଡାକ ମୃତ୍ୟୁର ନୁହେଁ,
ସେ ଡାକ ମୁକ୍ତିର।
ସେ ଡାକ କହୁଛି—
ଉଠ,
ନିଜ ଅନ୍ଧକାରକୁ ଚିହ୍ନ।
ଚାଲ,
ନିଜ ମାୟାଜାଲକୁ ଭାଙ୍ଗ।
ଜୀବନକୁ କେବଳ ଭୋଗ ନୁହେଁ,
ବୋଧରେ ପରିଣତ କର।
କାରଣ ତୁମେ
କୀଟ ନୁହେଁ,
ଦିଗହରା ପତଙ୍ଗ ନୁହେଁ।
ତୁମେ
ଅମୃତର ସନ୍ତାନ—
ଆତ୍ମାର ଅନନ୍ତ ଆହ୍ୱାନର
ଜୀବନ୍ତ ଉତ୍ତର।

Leave a Reply